Unknown

 

 

 

 

 

 

 

 

 

 

 

ପଦ୍ମମାଳୀ

ଉମେଶଚନ୍ଦ୍ର ସରକାର

 

ପରିଚୟ :

 

ଉମେଶଚନ୍ଦ୍ର ସରକାରଙ୍କ ଦ୍ୱାରା ଲିଖିତ ‘ପଦ୍ମମାଳୀ’ ଓଡ଼ିଆ ସାହିତ୍ୟ ଜଗତରେ ଏକ ମାଇଲଖୁଣ୍ଟ । ଏହାକୁ ଓଡ଼ିଆ ଭାଷାରେ ରଚିତ ପ୍ରଥମ ଐତିହାସିକ ଉପନ୍ୟାସ ଭାବରେ ଗ୍ରହଣ କରାଯାଏ । ୧୮୮୮ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିବା ଏହି ବହିଟି ଐତିହାସିକ ଘଟଣାବଳୀ ଏବଂ ରୋମାଣ୍ଟିକ ପରିବେଶର ଏକ ଅପୂର୍ବ ସମନ୍ୱୟ । ବୀରତ୍ୱ, ପ୍ରେମ ଏବଂ ନ୍ୟାୟର ସଂଘର୍ଷ ଆଧାରିତ ଓଡ଼ିଶାର ଗୌରବମୟ ଇତିହାସର ବର୍ଣ୍ଣନା ଏହି ଉପନ୍ୟାସରେ ମିଳିଥାଏ । ଏହି ଉପନ୍ୟାସଟି ଦୁଇଟି ମୁଖ୍ୟ ଐତିହାସିକ ଘଟଣାର ସମନ୍ୱୟରେ ରଚିତ । ଲେଖକ ନିଜେ ସ୍ୱୀକାର କରିଛନ୍ତି ଯେ ତତ୍କାଳୀନ ଉତ୍କଳ ସାହିତ୍ୟର ସ୍ଥିତିରେ ଏପରି ଏକ ‘ସ୍ୱକପୋଳକଳ୍ପିତ ଗ୍ରନ୍ଥ’ ରଚନା କରିବା ଏକ ଦୁଃସାହସିକ ପଦକ୍ଷେପ ଥିଲା । ତାଙ୍କର ମୂଳ ଲକ୍ଷ୍ୟ ଥିଲା ଓଡ଼ିଆ ଭାଷାର ଗୌରବ ବର୍ଦ୍ଧନ କରିବା ଏବଂ ଜନସମାଜର ପ୍ରୀତି ସମ୍ପାଦନ କରିବା । ୧୮୮୮ ମସିହାରେ ଢେଙ୍କାନାଳରେ କାର୍ଯ୍ୟ କରୁଥିବା ସମୟରେ ‘ପଦ୍ମମାଳୀ’ ପ୍ରକାଶ ପାଇଥିଲା ।

 

‘ପଦ୍ମମାଳୀ’ର ଜନପ୍ରିୟତା ଏହାର ଏକାଧିକ ସଂସ୍କରଣରୁ ସ୍ପଷ୍ଟ ଜଣାପଡ଼େ । ଏହାର ପ୍ରଥମ ସଂସ୍କରଣ ୧୮୮୮ ମସିହାରେ ଢେଙ୍କାନାଳରୁ ପ୍ରକାଶିତ ହୋଇଥିଲା । ଏହାପରେ ଦ୍ୱିତୀୟ ସଂସ୍କରଣ ୧୯୧୨ ମସିହାରେ ତାଳଚେରର କିଶୋର ମେସିନ ଯନ୍ତ୍ରାଳୟରେ ମୁଦ୍ରିତ ହୋଇଥିଲା-। ତୃତୀୟ ସଂସ୍କରଣ ୧୯୩୦ ମସିହାରେ କଟକରୁ ଏବଂ ଚତୁର୍ଥ ସଂସ୍କରଣ ୧୯୬୨ ମସିହାରେ ପ୍ରକାଶ ପାଇଥିଲା । ଓଡ଼ିଶାର ବିଭିନ୍ନ ଗଡ଼ଜାତ ରାଜ୍ୟରୁ ଏହି ପୁସ୍ତକର ପ୍ରକାଶନ ଏହାର ସୁଦୂରପ୍ରସାରୀ ପ୍ରଭାବକୁ ସୂଚାଏ । କେବଳ ଓଡ଼ିଶା ନୁହେଁ, ବରଂ କଲିକତା ବିଶ୍ୱବିଦ୍ୟାଳୟରେ ଏହା ପାଠ୍ୟପୁସ୍ତକ ରୂପେ ଗୃହୀତ ହୋଇଥିଲା ।

 

ଉପନ୍ୟାସଟି ୧୮୩୫ ମସିହାରେ ସଂଘଟିତ ଓଡ଼ିଶାର ଏକ ଐତିହାସିକ ଘଟଣାକୁ ଆଧାର କରି ଗଢ଼ିଉଠିଛି । ଏହାର ମୁଖ୍ୟ କଥାବସ୍ତୁ ଦୁଇଟି ପ୍ରମୁଖ ଐତିହାସିକ ଘଟଣାର ସମନ୍ୱୟରେ ରଚିତ: –ନୀଳଗିରି ରାଜ୍ୟର କର୍ମଚାରୀମାନଙ୍କ ଦ୍ୱାରା ପାଞ୍ଚଗଡ଼ର ଆକ୍ରମଣ ଓ ହରିହର ଭ୍ରମରବର ବାବୁଙ୍କ ଦ୍ୱାରା ନୀଳଗିରି ଆକ୍ରମଣ ଘଟଣା ଏହି ଉପନ୍ୟାସରେ ବର୍ଣ୍ଣିତ ହୋଇଛି ।

 

ଲେଖକ ଏହି ଐତିହାସିକ ସତ୍ୟତାକୁ ରକ୍ଷା କରିବା ସହିତ ପାଠକଙ୍କ ମନୋରଞ୍ଜନ ପାଇଁ ଏଥିରେ କିଛି ରୋମାଣ୍ଟିକ୍ ଉପାଦାନ ସଂଯୋଗ କରିଛନ୍ତି । ନୀଳଗିରି ରାଜ୍ୟର ଅରାଜକତା, ନାବାଳକ ରାଜାଙ୍କ ଶାସନ ଏବଂ ଇଂରେଜ ସରକାରଙ୍କ ପ୍ରଭାବକୁ ଉପନ୍ୟାସରେ ଅତି ଚମତ୍କାର ଭାବେ ବର୍ଣ୍ଣନା କରାଯାଇଛି । ଏଥିରେ ବାଲେଶ୍ୱରର ତତ୍କାଳୀନ ମାଜିଷ୍ଟ୍ରେଟ ହେନେରି ରିକେଟ୍‌ସଙ୍କ ଭଳି ବାସ୍ତବ ଚରିତ୍ର ଏବଂ ପାଞ୍ଚଗଡ଼ ନୀଳଗିରିରୁ ଅଲଗା ହୋଇ ସରକାରଙ୍କ ଖାସମାହାଲଭୁକ୍ତ ହେବା ଭଳି ପ୍ରକୃତ ଐତିହାସିକ ଘଟଣାର ମଧ୍ୟ ଅବତାରଣା କରାଯାଇଛି ।

 

ପୃଷ୍ଠଭୂମି :

 

ମୟୂରଭଞ୍ଜ ଜିଲ୍ଲାର ମାନ୍ତ୍ରୀ (ମାଣତୀର) ନାମକ ଉପନଗର, ନୀଳଗିରି ରାଜ୍ୟ ଏବଂ କପ୍ତିପଦାକୁ ପୃଷ୍ଠଭୂମି କରି ଏହି ଉପନ୍ୟାସ ରଚିତ ହୋଇଛି । ସେହି ସମୟରେ ଓଡ଼ିଶାର ଗଡ଼ଜାତଗୁଡ଼ିକରେ ଅରାଜକତା ପରିଲକ୍ଷିତ ହେଉଥିଲା । ନୀଳଗିରିରେ ନାବାଳକ ରାଜାଙ୍କ ଶାସନ କାଳରେ ଦୁର୍ଯ୍ୟୋଧନ ଦାସ ପରି କର୍ମଚାରୀମାନେ ପ୍ରଜାଙ୍କ ଉପରେ ଅତ୍ୟାଚାର କରୁଥିଲେ-। ଇଂରେଜ ସରକାରଙ୍କ ପ୍ରଭାବ ମଧ୍ୟ ଏହି ସମୟରେ ବୃଦ୍ଧି ପାଉଥିଲା ।

 

ପ୍ରମୁଖ ପାତ୍ରମାନେ :

 

ପଦ୍ମମାଳୀ: ଉପନ୍ୟାସର ନାୟିକା । ପାଞ୍ଚଗଡ଼ର ପଟୱାରୀ ଜଗବନ୍ଧୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା । ସେ ସୁନ୍ଦରୀ, ଗୁଣବତୀ ଏବଂ ଶାସ୍ତ୍ରନିପୁଣା । ତାଙ୍କର ମୁଖମଣ୍ଡଳରେ ଏକ ଅଲୌକିକ ଲାବଣ୍ୟ ଢଳଢଳ ହେଉଥିଲା । ସେ ବାଲ୍ୟକାଳରୁ ଭାଗବତ, କୋଇଲି, ରାହାସ, କାବ୍ୟ ଓ ନାଟକ ଭଳି ଗ୍ରନ୍ଥ ପାଠ କରିଥିଲେ । ତାଙ୍କର ବୁଦ୍ଧିର ବିଚକ୍ଷଣତା ଏବଂ ପ୍ରାଞ୍ଜଳ ଭାଷା ତାଙ୍କୁ ସାଧାରଣ ବାଳିକାମାନଙ୍କଠାରୁ ପୃଥକ୍‍ କରିଥିଲା । ବିପଦ ସମୟରେ ମଧ୍ୟ ସେ ଓ ସ୍ୱାଭିମାନର ସହିତ ସାହସ ଦେଖାଇଥିଲେ । ଦୁର୍ଯ୍ୟୋଧନ ପରି ଅତ୍ୟାଚାରୀ ନିକଟରେ ସେ ଆତ୍ମସମର୍ପଣ ନ କରି ନିଜର ବୁଦ୍ଧିମତ୍ତାର ପ୍ରୟୋଗ କରିଥିଲେ ।

 

ପରୀକ୍ଷିତ ସିଂହ: ଉପନ୍ୟାସର ନାୟକ ପରୀକ୍ଷିତ ସିଂହ କପ୍ତିପଦାର ରାଜା, ଜଣେ ବୀର, ନ୍ୟାୟପ୍ରିୟ ଏବଂ ପଦ୍ମମାଳୀର ରକ୍ଷାକର୍ତ୍ତା ତଥା ପ୍ରେମିକ । ତାଙ୍କର ପୂରା ନାମ ହେଉଛି ରାଜା ପରୀକ୍ଷିତ ସିଂହ ଭୁଜଙ୍ଗ ମାନ୍ଧାତା ବିରାଟ ବସନ୍ତ ହରିଚନ୍ଦନ । ସେ ଜଣେ ନିର୍ଭୀକ ଯୋଦ୍ଧା । ଜାଗର ଯାତ୍ରା ରାତିରେ ପଦ୍ମମାଳୀକୁ ଅପହର୍ତ୍ତା ଦୁର୍ଯ୍ୟୋଧନ କବଳରୁ ରକ୍ଷା କରି ସେ ନିଜର ବୀରତ୍ୱର ପରିଚୟ ଦେଇଥିଲେ । ସେ ଦୁର୍ଯ୍ୟୋଧନକୁ ମଲ୍ଲଯୁଦ୍ଧରେ ପରାସ୍ତ କରି ବୃକ୍ଷରେ ବାନ୍ଧି ଦେଇଥିଲେ-। ପରୀକ୍ଷିତ ପଦ୍ମମାଳୀଙ୍କ ରୂପ ଓ ଗୁଣରେ ମୁଗ୍ଧ ହୋଇ ତାଙ୍କୁ ବିବାହ କରିବାକୁ ନିର୍ବନ୍ଧ କରିଥିଲେ-। ସେ ପଦ୍ମମାଳୀଙ୍କୁ ନିଜର "ହୃଦୟେଶ୍ୱରୀ" ଭାବେ ସ୍ୱୀକାର କରିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ସମସ୍ତ ବିପଦରୁ ତାଙ୍କୁ ରକ୍ଷା କରିଥିଲେ ।

 

ଦୁର୍ଯ୍ୟୋଧନ ଦାସ: କାହାଣୀର ମୁଖ୍ୟ ଖଳନାୟକ ଏବଂ ନୀଳଗିରିର ପ୍ରଭାବଶାଳୀ କର୍ମଚାରୀ ଦୁର୍ଯ୍ୟୋଧନ ଦାସ ଜଣେ କାମାନ୍ଧ, ଅତ୍ୟାଚାରୀ ଏବଂ ଷଡ଼ଯନ୍ତ୍ରକାରୀ ଚରିତ୍ର । ମଧୁସୂଦନ ପଟ୍ଟନାୟକଙ୍କ ଭଉଣୀ କେତକୀଙ୍କର ପୁତ୍ର ଏହି ଦୁର୍ଯ୍ୟୋଧନ ଅତି ସ୍ୱାର୍ଥପର ବ୍ୟକ୍ତି ଥିଲେ । ତାଙ୍କର ଅତ୍ୟାଚାରରେ ନୀଳଗିରିର ପ୍ରଜାମାନେ ଅତିଷ୍ଠ ହୋଇପଡ଼ିଥିଲେ ।

 

ପଦ୍ମମାଳୀଙ୍କ ସୌନ୍ଦର୍ଯ୍ୟରେ ମୁଗ୍‍ଧ ହୋଇ ସେ ତାଙ୍କୁ ଦୁଇଥର ଅପହରଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ ଏବଂ ନିଜର କ୍ଷମତା ବ୍ୟବହାର କରି ପଦ୍ମମାଳୀଙ୍କ ପିତାଙ୍କୁ ଜେଲ ପଠାଇଥିଲେ । ଶେଷରେ ତାଙ୍କର ପାପର ଫଳ ସ୍ୱରୂପ ସେ ପରାଜିତ ଓ ବନ୍ଦୀ ହୋଇଥିଲେ ।

 

ଜଗବନ୍ଧୁ ପଟ୍ଟନାୟକ: ପଦ୍ମମାଳୀର ପିତା, ପାଞ୍ଚଗଡ଼ର ପଟୱାରୀ ଜଗବନ୍ଧୁ ପଟ୍ଟନାୟକ ଥିଲେ ସମ୍ଭ୍ରାନ୍ତ ଓ ସ୍ୱାଭିମାନୀ ପଟୱାରୀ ଏବଂ ସ୍ୱଚ୍ଛଳ । ସେ ନିଜ କନ୍ୟା ପଦ୍ମମାଳୀଙ୍କୁ ପ୍ରାଣଠାରୁ ଅଧିକ ଭଲ ପାଉଥିଲେ ଏବଂ ତାଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିଥିଲେ । ଦୁର୍ଯ୍ୟୋଧନର କୁଦୃଷ୍ଟି ଯୋଗୁଁ ସେ ଅନେକ କଷ୍ଟ ସହିଥିଲେ ଏବଂ ମିଥ୍ୟା ଅଭିଯୋଗରେ କାରାଦଣ୍ଡ ମଧ୍ୟ ଭୋଗ କରିଥିଲେ । ମାତ୍ର ସେ ନିଜର ସ୍ୱାଭିମାନ ସହିତ ସାଲିସ କରି ନଥିଲେ ।

 

ମହନ୍ତ ହରିହର ରାମାନୁଜ ଦାସ: ଜଣେ ଜ୍ଞାନୀ ଓ ପରୋପକାରୀ ମହନ୍ତ । ସେ ପଦ୍ମମାଳୀ ଓ ପରୀକ୍ଷିତଙ୍କ ମିଳନରେ ସହାୟକ ହୋଇଥିଲେ । ବିପଦ ସମୟରେ ସେମାନଙ୍କୁ ଆଶ୍ରୟ ଦେବା ସହ ମହନ୍ତ ମହାରାଜ ସେମାନଙ୍କର ବିବାହ ନିର୍ବନ୍ଧ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ-। ମହନ୍ତଙ୍କର ପୂର୍ବ ନାମ ବାଜୀରାଓ ଥିଲା ଏବଂ ସେ ଜଣେ ମରାଠୀ ବ୍ରାହ୍ମଣ ଥିଲେ । ରାଜକାର୍ଯ୍ୟରୁ ଅବସର ନେବା ପରେ ସେ ବୈଷ୍ଣବ ଧର୍ମ ଗ୍ରହଣ କରି ମହନ୍ତ ହୋଇଯାଇଥିଲେ-

 

ଜୟନ୍ତୀ: ପଦ୍ମମାଳୀର ସଙ୍ଗିନୀ ଏବଂ ଦୁର୍ଯ୍ୟୋଧନର ବିଶ୍ୱସ୍ତ ଅନୁଗତ ବାଞ୍ଛାନିଧି ବଳବନ୍ତରାୟର ପ୍ରେମିକା । ସେ ଘଣ୍ଟଶୀଳା ଗଡ଼ନାୟକଙ୍କ କନ୍ୟା । ସେ ଜଣେ ସାହସୀ ବାଳିକାର ପରିଚୟ ଦେଇ ଦୁର୍ଯ୍ୟୋଧନ ଆଗରେ କଟାରୀ ଧରି ପଦ୍ମମାଳୀଙ୍କୁ ରକ୍ଷା କରିବାକୁ ଠିଆ ହୋଇଥିଲେ ।

 

ବାଞ୍ଛାନିଧି ବଳବନ୍ତରାୟ: ଦୁର୍ଯ୍ୟୋଧନର ବିଶ୍ୱାସୀ ଅନୁଚର । ସେ ପରବର୍ତ୍ତୀ ସମୟରେ ନିଜର ଭୁଲ୍ ବୁଝିପାରି ପଦ୍ମମାଳୀର ଉଦ୍ଧାରରେ ସହାୟତା କରିଥିଲେ । ସେ ନିଜର ପ୍ରେମିକା ଜୟନ୍ତୀ ଓ ପଦ୍ମମାଳୀଙ୍କୁ ଦୁର୍ଯ୍ୟୋଧନ କବଳରୁ ମୁକ୍ତ କରିବା ପାଇଁ ପରୀକ୍ଷିତ ସିଂହଙ୍କୁ ସାହାଯ୍ୟ କରିଥିଲେ । ପ୍ରଥମେ ଦୁର୍ଯ୍ୟୋଧନର ବିଶ୍ୱାସୀ ଅନୁଚର ଥିଲେ ହେଁ ପରେ ତାଙ୍କର ହୃଦୟ ପରିବର୍ତ୍ତନ ହୋଇଥିଲା ।

 

ହରିହର ଭ୍ରମରବର (ହରିବାବୁ): ସେ ନୀଳଗିରିର ସିଂହାସନ ପ୍ରତ୍ୟାଶୀ ଥିଲେ ଏବଂ ପରୀକ୍ଷିତ ସିଂହଙ୍କ ସହାୟତାରେ ନୀଳଗିରି ଆକ୍ରମଣ କରିଥିଲେ ।

 

ହେନେରୀ ରିକେଟ୍‍ସ: ସେ ବାଲେଶ୍ୱରର ମାଜିଷ୍ଟ୍ରେଟ ଥିଲେ, ପରବର୍ତ୍ତୀ ସମୟରେ ଏହି ବିବାଦର ବିଚାର କରିଥିଲା ଏବଂ ନ୍ୟାୟ ପ୍ରଦାନ କରିଥିଲେ । ସେ ଜଣେ ଯଥାର୍ଥ ନ୍ୟାୟପରାୟଣ ବ୍ୟକ୍ତି ଥିଲେ ।

 

ବିଷୟବସ୍ତୁ :

 

କାହାଣୀ ଆରମ୍ଭ ହୁଏ ମୟୂରଭଞ୍ଜର ମାନ୍ତ୍ରୀଠାରେ ହେଉଥିବା ବୈଦ୍ୟନାଥଙ୍କ ଜାଗର ଯାତ୍ରାରୁ । ସେଠାରେ ପାଞ୍ଚଗଡ଼ର ପଟୋୱାରୀ ଜଗବନ୍ଧୁ ପଟ୍ଟନାୟକଙ୍କ କନ୍ୟା । ପଦ୍ମମାଳୀକୁ ଦେଖି ନୀଳଗିରିର ଦୁଷ୍ଟ ରାଜକର୍ମଚାରୀ ଦୁର୍ଯ୍ୟୋଧନ ଦାସ ତାକୁ ଅପହରଣ କରିବାର ଷଡ଼ଯନ୍ତ୍ର କରେ । ଯାତ୍ରାର ଗୋଳମାଳ ଏବଂ ପ୍ରବଳ ବର୍ଷା ସମୟରେ ସେ ପଦ୍ମମାଳୀକୁ ବଳପୂର୍ବକ ଅପହରଣ କରି ନେଇଗଲେ । ନିର୍ଜନ ପଥରେ ଦୁର୍ଯ୍ୟୋଧନ ପଦ୍ମମାଳୀ ପ୍ରତି ଅତ୍ୟାଚାର କରିବାକୁ ଉଦ୍ୟମ କରୁଥିବା ସମୟରେ ଜଣେ ଅପରିଚିତ ଯୁବକ (ପରୀକ୍ଷିତ ସିଂହ) ସେହି ସ୍ଥାନରେ ଦେଖାଦେଇ ଦୁର୍ଯ୍ୟୋଧନକୁ ପରାସ୍ତ କରି ବୃକ୍ଷରେ ବାନ୍ଧିଦେଲେ ଏବଂ ପଦ୍ମମାଳୀକୁ ରକ୍ଷା କଲେ । ସେ ପଦ୍ମମାଳୀକୁ ମହନ୍ତ ହରିହର ରାମାନୁଜ ଦାସଙ୍କ ମଠକୁ ନେଇଗଲେ । ସେଠାରେ ପରୀକ୍ଷିତ ଏବଂ ପଦ୍ମମାଳୀଙ୍କ ମଧ୍ୟରେ ଅନୁରାଗ ସୃଷ୍ଟି ହୋଇଥିଲା ।

 

ଦୁର୍ଯ୍ୟୋଧନ କିନ୍ତୁ ଅପମାନର ପ୍ରତିଶୋଧ ନେବା ପାଇଁ ପଦ୍ମମାଳୀର ପିତାଙ୍କୁ ମିଛରେ ଖଜଣା ବାକି ଅଭିଯୋଗରେ କାରାଦଣ୍ଡ ଦେଲା ଏବଂ ପଦ୍ମମାଳୀକୁ ପୁଣି ଥରେ ଅପହରଣ କରି ନିଜର ଉଦ୍ୟାନବାଟିକାରେ ବନ୍ଦୀ କରି ରଖିଲା । ଏହି ସଙ୍କଟ ସମୟରେ ଦୁର୍ଯ୍ୟୋଧନର ବିଶ୍ୱାସୀ ଅନୁଚର ବାଞ୍ଛାନିଧି ବଳବନ୍ତରାୟ ନିଜର ଭୁଲ୍ ଅନୁଭବ କରି ପଦ୍ମମାଳୀକୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ । ସେ କପ୍ତିପଦା ରାଜା ପରୀକ୍ଷିତ ସିଂହଙ୍କୁ ସବୁ ସମ୍ବାଦ ଅବଗତ କରାଇଥିଲେ-। ପରୀକ୍ଷିତ ସିଂହ ତାଙ୍କର ବିରାଟ ସୈନ୍ୟବାହିନୀ ଧରି ନୀଳଗିରି ଆକ୍ରମଣ କଲେ-। ଶେଷରେ ଦୁର୍ଯ୍ୟୋଧନ ପରାସ୍ତ ହେଲା । ପଦ୍ମମାଳୀ ଓ ତାଙ୍କ ପିତା ମୁକ୍ତ ହେଲେ ଏବଂ ପଦ୍ମମାଳୀ ଓ ପରୀକ୍ଷିତ ସିଂହଙ୍କର ଶୁଭ ପରିଣୟ ସମ୍ପନ୍ନ ହେଲା । ବାଲେଶ୍ୱରର ମାଜିଷ୍ଟ୍ରେଟ୍‍ ହେନେରୀ ରିକେଟ୍‍ସ ଏହି ବିବାହ ଉତ୍ସବର ନେତୃତ୍ୱ ନେଲେ । ପଦ୍ମମାଳୀଙ୍କ ସଙ୍ଗିନୀ ଜୟନ୍ତୀ ଓ ବଳବନ୍ତରାୟଙ୍କ ବିବାହ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

 

ଉପସଂହାର:

 

ଅତ୍ୟାଚାରର ପତନ ଏବଂ ପବିତ୍ର ପ୍ରେମର ବିଜୟ ଘୋଷିତ ହେଲା । ଅତ୍ୟାଚାରୀ ଦୁର୍ଯ୍ୟୋଧନ ଦାସ ନିଜର ପାପ କର୍ମ ପାଇଁ ସମୁଚିତ ଦଣ୍ଡ ପାଇଲା । ଯେଉଁ ବ୍ୟକ୍ତି ନିଜର କ୍ଷମତା ଓ ଅହଙ୍କାର ବଳରେ ଜଣେ ଅସହାୟା ବାଳିକାର ସତୀତ୍ୱ ନଷ୍ଟ କରିବାକୁ ଚାହୁଁଥିଲା ଏବଂ ଜଣେ ସମ୍ଭ୍ରାନ୍ତ ପଟୋୱାରୀକୁ ମିଥ୍ୟା ଅଭିଯୋଗରେ କାରାଦଣ୍ଡ ଦେଇଥିଲା, ଶେଷରେ ସେ ନିଜେ ଶୃଙ୍ଖଳିତ ଓ ଅପମାନିତ ହେଲା ।

 

ପଦ୍ମମାଳୀ ଓ ପରୀକ୍ଷିତ ସିଂହଙ୍କର ମିଳନ କେବଳ ଦୁଇଟି ହୃଦୟର ମିଳନ ନୁହେଁ, ବରଂ ଏହା ସୌନ୍ଦର୍ଯ୍ୟ ଓ ବୀରତ୍ୱର ଏକ ସମନ୍ୱୟ । ପଦ୍ମମାଳୀଙ୍କର ପବିତ୍ରତା ଏବଂ ସଙ୍କଟ ସମୟରେ ତାଙ୍କର ଧୈର୍ଯ୍ୟ ତାଙ୍କୁ ଆଦର୍ଶ ନାରୀ ଚରିତ୍ର ଭାବେ ସ୍ଥାପିତ କରିଛି । ସେହିପରି ପରୀକ୍ଷିତ ସିଂହ ଜଣେ ରାଜପୁତ୍ରରୁ ଜଣେ ମୁକ୍ତିଦାତା ସାଜିବା ପାଠକଙ୍କୁ ରୋମାଞ୍ଚିତ କରେ । ବାଲେଶ୍ୱର ମାଜିଷ୍ଟ୍ରେଟ ହେନେରି ରିକେଟ୍‍ସଙ୍କ ହସ୍ତକ୍ଷେପ ଏବଂ ତାଙ୍କ ଦ୍ୱାରା ପଦ୍ମମାଳୀ ଓ ପରୀକ୍ଷିତଙ୍କ ବିବାହ ସମ୍ପନ୍ନ କରାଇବା ଏହି ଐତିହାସିକ ଉପନ୍ୟାସକୁ ଏକ ସୁଖଦ ଓ ସନ୍ତୋଷଜନକ ପରିସମାପ୍ତି ପ୍ରଦାନ କରିଛି ।

 

ବାଞ୍ଛାନିଧି ବଳବନ୍ତରାୟଙ୍କ ହୃଦୟ ପରିବର୍ତ୍ତନ ଉପନ୍ୟାସର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଜଣେ ଖଳନାୟକ ଅନୁଚରରୁ ଜଣେ ମାନବତାବାଦୀ ସହାୟକ ପାଲଟିବା ଅନୁଶୋଚନା ଦ୍ୱାରା ପାପର ପ୍ରାୟଶ୍ଚିତ୍ତ କ୍ରମରେ ଜଣଙ୍କର ରୂପାନ୍ତରଣ । ପ୍ରକୃତ ପ୍ରେମ ସବୁ ପ୍ରତିବନ୍ଧକକୁ ଅତିକ୍ରମ କରିପାରେ ବୋଲି ଉପନ୍ୟାସରେ ପ୍ରମାଣିତ ହୋଇଛି ।

 

ପଦ୍ମମାଳୀ’ କେବଳ ଏକ ଉପନ୍ୟାସ ନୁହେଁ, ଏହା ଓଡ଼ିଆ ଅସ୍ମିତା ଓ ସାଂସ୍କୃତିକ ଜ୍ଞାନର ଏକ ପ୍ରତୀକ । ଏହାର ଭାଷା, ଶୈଳୀ ଏବଂ ଚରିତ୍ର ଚିତ୍ରଣ ପାଠକକୁ ସେହି ପୁରୁଣା ଦିନର ଓଡ଼ିଶାକୁ ନେଇଯାଏ, ଯେଉଁଠି ମୂଲ୍ୟବୋଧର ସୁରକ୍ଷା ପାଇଁ ଜୀବନକୁ ବାଜି ଲଗାଯାଉଥିଲା । ଉପନ୍ୟାସରେ ରହିଛି ଏକ ସୁନ୍ଦର ଓ ନ୍ୟାୟପୂର୍ଣ୍ଣ ସମାଜର ପରିକଳ୍ପନା । ଲେଖକ ଅତ୍ୟନ୍ତ ନିପୁଣତାର ସହ ଐତିହାସିକ ତଥ୍ୟ ଏବଂ କାଳ୍ପନିକ ରୋମାଞ୍ଚର ସମନ୍ୱୟ ରକ୍ଷା କରିଛନ୍ତି । ପଦ୍ମମାଳୀର ପବିତ୍ରତା ଏବଂ ପରୀକ୍ଷିତଙ୍କ ବୀରତ୍ୱ ପାଠକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିପାରେ । ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସ ହିସାବରେ ଏହି ପୁସ୍ତକ ତାର ଗୌରବ ବଜାୟ ରଖିବାରେ ସମର୍ଥ ହୋଇପାରିଛି ।

Image